History
୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଶବ୍ଦରେ ଦିଅ ।
(କ) ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’ଏହା କାହିଁକି କୁହାଯାଇଛି ଲେଖ ।
ଉ :(i) ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ ।
(ii) ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର । ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା ।
(iii) ନୃ ବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜି ମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି ।
(iv) ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି,ଅଗ୍ରଗତି କରିଛି ।
(v) ଏହିସବୁ ଅଗ୍ରଗତିର ଧାରାବାହିକ ବିବରଣୀ ହେଉଛି ଇତିହାସ । ଅନ୍ୟ ଭାବରେ କହିଲେ, ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।
(ଖ) ଇତିହାସ କାହିଁକି ପଢ଼ିବା ?
ଉ :(i) ଇତିହାସର ଅର୍ଥ : ଅତୀତ ବିଷୟରେ ଜାଣିବା । ଅନ୍ୟ ଅର୍ଥରେ ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ, ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନ ଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରେ ।
(ii) ଇତିହାସ ପଠନଦ୍ଵାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣାଗୁଡ଼ିକୁ ଜାଣିପାରୁ । ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ । ତେଣୁ ଅତୀତକୁ ଆମେ ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା ।
(iii) ଅତୀତରେ ମନୁଷ୍ୟ ଆନନ୍ଦ ଓ ସୁଖ ଶାନ୍ତିରେ ରହିବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରୁଥିଲା,ସେଗୁଡ଼ିକ ମଧ୍ୟରୁ କେତେକ ବର୍ତ୍ତମାନ ମଧ୍ୟ ଆମ ପାଇଁ ଦରକାରୀ ହୋଇପାରେ । ଅତୀତର ସେହି ଉପାୟମାନଙ୍କ ମଧ୍ୟରୁ ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ ।
(iv) ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣି ଯେଉଁଗୁଡ଼ିକ ଆମ ପାଇଁ ଦରକାରୀ ସେଗୁଡ଼ିକୁ ଗ୍ରହଣ କରିପାରିବା । ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ସହାୟକ ହୋଇଥାଏ ।
(v) ଇତିହାସ ପଠନଦ୍ବାରା ଅତୀତରେ ଆମ ସମାଜରେ ପ୍ରଚଳିତ ଅନେକ କୁପ୍ରଥା ଓ ଅନ୍ଧବିଶ୍ବାସ ପ୍ରତି ଅବଗତ ରହୁ ଏବଂ ସେଗୁଡ଼ିକ ଆମ ପାଇଁ କେତେ ଦୂର ଗ୍ରହଣଯୋଗ୍ୟ ତାହା ଆମେ ବୁଝିପାରିବା । ସେଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରି ବର୍ତ୍ତମାନର ପରିସ୍ଥିତି ସହିତ ମେଳ କରିବା ପାଇଁ ଚେଷ୍ଟା କରିବା। ତେଣୁ ଇତିହାସ ପଢ଼ିବା ଆମ ପାଇଁ ନିହାତି ଆବଶ୍ୟକ।
(ଗ) ଇତିହାସ ଜାଣିବାର ବିଭିନ୍ନ ଉପାଦାନଗୁଡ଼ିକ କ’ଣ ?
ଉ : ଇତିହାସ ଜାଣିବାର ଉପାଦାନଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା : (୧) ପ୍ରତ୍ନତାତ୍ତ୍ୱିକ ଉପାଦାନ ଏବଂ (୨) ସାହିତ୍ୟିକ ଉପାଦାନ ।
(୧) ପ୍ରତ୍ନତାତ୍ତ୍ୱିକ ଉପାଦାନ : ଏହା ଚାରି ଭାଗରେ ବିଭକ୍ତ । ଯଥା : (କ) ଖୋଦିତ ଲେଖା ବା ଲିପି (ଖ) କୀର୍ତ୍ତି ଓ କଳାକୃତି (ଗ) ଭୌତିକ ଅବଶେଷ (ଘ)ମୁଦ୍ରା
(୨) ସାହିତ୍ୟିକ ଉପାଦାନ : ଏହା ତିନି ଭାଗରେ ବିଭକ୍ତ । ଯଥା: (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ (ଖ) ଐହିକ ସାହିତ୍ୟ (ଗ) ବୈଦେଶିକ ବିବରଣୀ ।
(ଘ) ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
ଉ :(i) ସମୟ ଅନୁସାରେ ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା – (୧) ପ୍ରାକ୍ - ଐତିହାସିକ ଯୁଗ, (୨) ଆଦ୍ୟ ଐତିହାସିକ ଯୁଗ, (୩) ଐତିହାସିକ ଯୁଗ ।
(ii) ବହୁ ପୁରାତନ କାଳରେ ଲୋକମାନଙ୍କର ମାଟିପାତ୍ର, ଅଳଙ୍କାର, ହାତ ହତିଆର, ସେମାନେ ରହୁଥିବା ଗୁମ୍ଫାରେ ଥିବା ଚିତ୍ରରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଆମେ ଜାଣିପାରୁ । ତେଣୁ ଏହି ଯୁଗକୁ ପ୍ରାକ୍ ଐତିହାସିକ ଯୁଗ କୁହାଯାଏ ।
(iii) ମନୁଷ୍ୟ ଲେଖି ଶିଖିବାପରେ ବିଭିନ୍ନ ଘଟଣାକୁ ଯେବେଠାରୁ ଲେଖାଦ୍ୱାରା ପ୍ରକାଶ କରିପାରିଲା; ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ । ସିନ୍ଧୁ ନଦୀକୂଳରେ ଏହି ସମୟରେ ଏକ ସଭ୍ୟତା ଗଢ଼ି ଉଠିଥିଲା।
(iv) ଲେଖାର ଉନ୍ନତି ହେବା ପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବା ପଟା, ତାଳପତ୍ର, ମାଟି ପାତ୍ର ଇତ୍ୟାଦିରେ ଲେଖିପାରିଲା । ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।
(ଙ) ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ କିପରି ପ୍ରଭାବିତ କରିଛି ?
ଉ :(i) ଭାରତ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟଭାଗରେ ଅବସ୍ଥିତ ।
(ii) ଭାରତର ଦକ୍ଷିଣ ଭାଗକୁ ତିନି ଦିଗରୁ ସମୁଦ୍ର ଘେରି ରହିଥିବାରୁ ଏହାକୁ ଉପଦ୍ବୀପ କୁହାଯାଏ ।
(ii) ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତ ପ୍ରାୟ ସମାନ ଦୂରତାରେ ରହିଛି ।
(iv) ପ୍ରାଚୀନ ସଭ୍ୟତାର ବିକାଶଶୀଳ ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ବା ଭାରତଠାରୁ ଅନତିଦୂରରେ ରହିଛନ୍ତି ।
(v) ଭାରତର ଉତ୍ତରପୂର୍ବ ସୀମାରେ ଚୀନ୍, ପଶ୍ଚିମରେ ଇରାନ୍ ରହିଥିବା ବେଳେ ଇରାକ୍, ଇସ୍ରାଏଲ, ମିଶର, ଗ୍ରୀସ୍ ଆଦି ଦେଶ ଭାରତଠାରୁ ଅନତି ଦୂରରେ ଅବସ୍ଥିତ । ଏହିପରି ଭାବରେ ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ ପ୍ରଭାବିତ କରିଥାଏ ।
(ଚ) ଭାରତର କେଉଁ ଦୁଇଟି ପ୍ରାକୃତିକ ବୈଶିଷ୍ଟ୍ୟ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି, କାରଣ ସହ ଉଲ୍ଲେଖ କର ।
ଉ :(i) ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରି ଆସିଛି । ସେଥି ମଧ୍ୟରୁ ପାର୍ବତ୍ୟ ଓ ନଦୀ ଉପତ୍ୟକା ସମୂହ ଦୁଇଟି ପ୍ରଧାନ ।
(ii) ଭାରତର ଉତ୍ତର ସୀମାରେ ଅବସ୍ଥିତ ଅତ୍ୟୁଚ୍ଚ ହିମାଳୟ, ପର୍ବତଶ୍ରେଣୀ କେନ୍ଦ୍ର ଏସିଆଠାରୁ ଭାରତକୁ ପୃଥକ୍ କରୁଅଛି। ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳରେ ମୃତ୍ତିକା ଉର୍ବର ଏବଂ ଜଳ ସମ୍ପଦରେ ପରିପୂର୍ଣ୍ଣ । ଏହିସବୁ ସୁବିଧା ଥିବାରୁ ଏହି 'ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତିପୂର୍ଣ୍ଣ ।
(iii) ଅତ୍ୟୁଚ୍ଚ ହିମାଳୟ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତକୁ ପ୍ରବେଶ କରିବା କଷ୍ଟକର । କିନ୍ତୁ ଉତ୍ତର-ପଶ୍ଚିମ ପାର୍ଶ୍ଵରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତେକ ସଂକୀର୍ଣ୍ଣ ଗିରିପଥ ରହିଛି । ଏହି ପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି । ସେମାନେ ଆସିବା ଫଳରେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ଵାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି ।
(iv) ଆମ ଦେଶରେ ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ-ପଶ୍ଚିମ ହୋଇ ଲମ୍ବି ରହିଛି । ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ବାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି ।
(v) ଏହି ଅଞ୍ଚଳର ମୃର୍ତ୍ତିକା ଉର୍ବର ଏବଂ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ । ତେଣୁ ଏହି ଅଞ୍ଚଳରେ ବହୁ ଲୋକ ବାସ କରନ୍ତି । ଏହିସବୁ କାରଣରୁ ନଦୀ କୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ।
୨।ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ ଟି ଶବ୍ଦରେ ଲେଖ।
(କ) ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଯେଉଁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି ସେଗୁଡ଼ିକର ନାମ ଲେଖ ।
ଉ :(i) ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଗୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି । ଯଥା—(କ) ହିମାଳୟ ପାର୍ବତ୍ୟ ଅଞ୍ଚଳ (ଖ) ଉତ୍ତରସ୍ଥ ସମତଳ ଅଞ୍ଚଳ (ଗ) କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ (ଘ) ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ (ଙ) ଉପକୂଳସ୍ଥ ସମତଳ ଅଞ୍ଚଳ (ଚ) ସମୁଦ୍ରମଧ୍ୟସ୍ଥ ଦ୍ବୀପସମୂହ।
(ଖ) ସଂକୀର୍ଣ୍ଣ ଗିରିପଥ ଦେଇ କେଉଁ ମାନେ ଭାରତକୁ ଆସିଛନ୍ତି ଏବଂ ସେମାନେ କେଉଁ କ୍ଷେତ୍ରରେ ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି ?
ଉ :(i) ସଂକୀର୍ଣ୍ଣ ଗିରିପଥ ଦେଇ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି ।
(ii) ସେମାନେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଦ୍ଵାରା ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି ।
(ଗ) ପଶ୍ଚିମଘାଟ ପର୍ବତମାଳା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଏବଂ ଏହା କେଉଁ କାରଣରୁ ଘନ ଜଙ୍ଗଲପୂର୍ଣ୍ଣ ?
ଉ :(i) ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟଭାଗରୁ ଦକ୍ଷିଣପ୍ରାନ୍ତ ଯାଏ ବିସ୍ତୃତ ।
(ii) ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥିବାରୁ ଏହା ଘନ ଜଙ୍ଗଲପୂର୍ଣ୍ଣ ।
(ଘ) ସମତଳ ଅଞ୍ଚଳ କିପରି ସୃଷ୍ଟି ହୋଇଛି ଏବଂ ଏଠାରେ କେଉଁ କାରଣରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ ?
ଉ :(i) ସମତଳ ଅଞ୍ଚଳ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀମାନଙ୍କର ପଟୁମାଟି ଦ୍ଵାରା ସୃଷ୍ଟି ହୋଇଛି । (i) ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଏଠାରେ ପ୍ରଚୁର ଜଳ ମିଳୁଥିବାରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ ।
(ଙ) କେଉଁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତା ଗଢ଼ିଉଠିଥିଲା ?
ଉ :(i) ନଦୀକୂଳମାନଙ୍କରେ ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯାଏ।
(ii) ତେଣୁ ଏହି ଅଞ୍ଚଳରେ ବହୁଲୋକ ବାସକରନ୍ତି । ଏଣୁ ଏଠାରେ ପ୍ରାଚୀନ ସଭ୍ୟତା ଗଢ଼ିଉଠିଥିଲା ।
(ଚ) କେଉଁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ ଓ କାହିଁକି?
ଉ :(i) ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ଘନ ଜନବସତି ଦେଖାଯାଏ।
(ii) କାରଣ ଏହି ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ କୃଷି ପାଇଁ ବେଶ୍ ଉପଯୋଗୀ ।
୩ । ନିମ୍ନ ଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।
(କ) କେଉଁଠାରେ ଅନେକ ବନ୍ଦର ଗଢ଼ିଉଠିଥିଲା ?
ଉ : ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା ।
(ଖ) ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ କେଉଁ କେଉଁ କ୍ଷେତ୍ର ରେ ଉନ୍ନତି କରିବାରେ ସାହାଯ୍ୟ କରିଥିଲା ?
ଉ : ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ ସଭ୍ୟତାର ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।
(ଗ) ଆମ ଦେଶର କେଉଁ ସ୍ଥାନରେ ସମତଳ ଅଞ୍ଚଳ ଦେଖାଯାଏ?
ଉ : ଆମ ଦେଶର ପଶ୍ଚିମ ପାର୍ଶ୍ବରେ ଆରବ ସାଗର ଓ ପୂର୍ବ ପାର୍ଶ୍ଵରେ ବଙ୍ଗୋପସାଗର ଉପକୂଳରେ ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଦେଖାଯାଏ ।
(ଘ) କେଉଁ ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ ?
ଉ : ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ ।
(ଙ) ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
ଉ : ଗୁଜୁରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ। ସମତଳ ଅଞ୍ଚଳକୁ ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।
(ଚ) ପୂର୍ବ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
ଉ : ଓଡ଼ିଶାଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପୂର୍ବ ଉପକୂଳସ୍ଥ ସମତଳ ଭୂମି କୁହାଯାଏ।
୪ । ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ/ ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଜକୁ ପ୍ରାୟ — ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ମନୁଷ୍ୟ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ ।
(୧୨, ୧୩, ୧୪ ,୧୫)
(ଖ) ପ୍ରାଚୀନ କାଳରେ – ପତ୍ର ଉପରେ ଲେଖା ଯାଉଥିଲା।
(ବର, ତାଳ, ପଣସ, ଶାଳ)
(ଗ) ସମୟ ଅନୁସାରେ ଇତିହାସକୁ ଭାଗରେ ଭାଗ କରାଯାଇଛି।
(୨, ୩, ୪, ୫)
(ଘ) ଭାରତର — ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଅଟେ ।
(ହିମାଳୟ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି)
ଉ: (କ) ୧୫ (ଖ) ତାଳ (ଗ)୩ (ଘ)କେନ୍ଦ୍ରସ୍ଥ ମାଳଭୂମି
୫ । ରେଖାଙ୍କିତ ପଦ ପଦଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
(କ) ସିମ୍ପାଞ୍ଜିର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି।
(ଖ) ଇତିହାସ ଶବ୍ଦଟି ଲାଟିନ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
(ଗ) ଭୁବନେଶ୍ବର ନିକଟବର୍ତ୍ତୀ ରତ୍ନଗିରି ଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖୁବାକୁ ମିଳେ।
(ଘ) ବାଣଭଟ୍ଟ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।
(ଙ) ଆମ ଦେଶର ପୂର୍ବ ଭାଗରେ ଆରବ ସାଗର ଅଛି ।
ଉ :(କ) ନୃବାନରମାନଙ୍କର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।
(ଖ) ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
(ଗ) ଭୁବନେଶ୍ବର ନିକଟବର୍ତ୍ତୀ ଧଉଳିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖୁବାକୁ ମିଳେ ।
(ଘ) ମେଘାସ୍ଥିନିସ୍ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି । (ଙ) ଆମ ଦେଶର ପଶ୍ଚିମ ଭାଗରେ ଆରବ ସାଗର ଅଛି ।
୬ ।ତଳେ ଦିଆଯାଇଥିବା ଉତ୍ତରଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (√) ଚିହ୍ନ ଦିଅ ।
(କ) ନୃବାନର ସମ୍ପର୍କୀୟ ହେଉଛନ୍ତି –
• ବାଘ , • ଓଟ •ଗୋଧି • ଓରାଙ୍ଗ ଓଟାଙ୍ଗ
(ଖ) ମନୁଷ୍ୟର ବୌଦ୍ଧିକ ଗୁଣ ସହ ସାମଞ୍ଜସ୍ୟ ଥିବା ପ୍ରାଣୀ ହେଉଛି –
•ଗରିଲା • ସିମ୍ପାଞ୍ଜି • ପାତିମାଙ୍କଡ଼ • ଗୀବନ ।
(ଗ) ହର୍ଷଚରିତ ରଚନା କରିଥିଲେ –
• କୌଟିଲ୍ୟ •ପତଞ୍ଜଳି • ପାଣିନି • ବାଣଭଟ୍ଟ
(ଘ) ଗୋଟିଏ ପ୍ରତ୍ନତାତ୍ତ୍ୱିକ ଉପାଦାନର ଉଦାହରଣ ହେଉଛି
• ଉପନିଷଦ •ମାଟିପାତ୍ର • ବେଦ • ମହାଭାରତ
(ଙ) ଇରାନ୍ ଦେଶ ଭାରତର କେଉଁ ଦିଗରେ ଅବସ୍ଥିତ ?
• ପୂର୍ବ •ପଶ୍ଚିମ • ଉତ୍ତର • ଦକ୍ଷିଣ
ଉ : (କ) ଓରାଙ୍ଗ ଓଟାଙ୍ଗ (ଖ) ସିମ୍ପାଞ୍ଜି (ଗ) ବାଣଭଟ୍ଟ (ଘ) ମାଟିପାତ୍ର (ଙ) ପଶ୍ଚିମ
Comments
Post a Comment