ରାମାୟଣ


୧ । ଉତ୍ତର କୁହ ।

(କ) ରାମଙ୍କ ବନ ଗମନ ଖବର ପାଇ ଅଯୋଧ୍ୟାବାସୀ କାହିଁକି କ୍ରନ୍ଦନ କଲେ ?

ଉ : ରାମଚନ୍ଦ୍ରଙ୍କର ନାନା ସଦ୍‌ଗୁଣ ଥିବାରୁ ପ୍ରଜାମାନେ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ । ତେଣୁ ତାଙ୍କର ବନଗମନ ଖବର ପାଇ ଅଯୋଧ୍ୟାବାସୀ କ୍ରନ୍ଦନ କଲେ ।

(ଖ) କୈକେୟୀ ଦଶରଥଙ୍କୁ କେଉଁ ଦୁଇଟି ବର ମାଗିଥିଲେ ?

 ଉ : ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବ ଆୟୋଜନ ଚାଲିଥିବାବେଳେ କୈକେୟୀ ବର ଦୁଇଟି ମାଗି ବସିଲେ । ପ୍ରଥମ ବରରେ ନିଜ ପୁତ୍ର ଭରତ ଅଯୋଧ୍ୟାର ସିଂହାସନ ଆରୋହଣ କରିବେ ଓ ଦ୍ବିତୀୟରେ ରାମଚନ୍ଦ୍ର ଚଉଦବର୍ଷ ନିମନ୍ତେ ବନ ଗମନ କରିବେ ।

 (ଗ) ଦଶରଥ କେଉଁ ପରିସ୍ଥିତିରେ ପ୍ରାଣତ୍ୟାଗ କଲେ ?

 ଉ : ରାମଚନ୍ଦ୍ର ଦଶରଥଙ୍କର ପ୍ରିୟସୁତ ଥିଲେ । ପିତୃ ସତ୍ୟ ରକ୍ଷାକରିବା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କଲାପରେ ଦୁଃଖରେ ଦଶରଥ ଭାଙ୍ଗିପଡ଼ିଲେ ଓ ତାଙ୍କୁ ଝୁରି ଝୁରି ଅଳ୍ପଦିନ ମଧ୍ୟରେ ପ୍ରାଣତ୍ୟାଗ କଲେ । 

(ଘ) ଭରତ ଚିତ୍ରକୂଟରୁ ଫେରି କିଭଳି ରାଜ୍ୟ ଶାସନ କଲେ ? କିମ୍ବା, ଅଯୋଧ୍ୟାର ପ୍ରଜାମାନେ ଭରତଙ୍କୁ ଧନ୍ୟ ଧନ୍ୟ କହୁଥିଲେ କାହିଁକି ?

ଉ : ମାତୁଳାଳୟରୁ ଫେରିବା ପରେ ଭରତ ନିଜ ମାତାଙ୍କର ଅନ୍ୟାୟ ବୁଝିପାରି ରାମଙ୍କୁ ଗୃହକୁ ଲେଉଟାଇ ଆଣିବା ନିମନ୍ତେ ବନକୁ ଗମନ କଲେ । ଚିତ୍ରକୂଟ ପର୍ବତ ଉପରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ବନବାସୀ ରୂପ ଦେଖି ଅଗ୍ରଜ ରାମଚନ୍ଦ୍ରଙ୍କର ଚରଣ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାପାଇଁ ବ୍ୟାକୁଳ ଭାବେ ନିବେଦନ କଲେ; ମାତ୍ର ପିତୃସତ୍ୟ ଭଙ୍ଗ କରି ଅଯୋଧ୍ୟା ଫେରିବା ସମ୍ଭବ ନୁହେଁ ବୋଲି ରାମଚନ୍ଦ୍ର କହିଲେ ଓ ଭରତଙ୍କୁ ନାନା ଭାବେ ବୁଝାଇ ଅଯୋଧ୍ୟା ଫେରାଇଦେଲେ । ଭରତ ଭାଇଙ୍କର ପାଦୁକା ଦୁଇଟିକୁ ସିଂହାସନରେ ସ୍ଥାପନ କରି ରାମଙ୍କ ପରି ବଳକଳ ପରିଧାନ କରି ଫଳମୂଳ ଆହାର କରି ରାମଚନ୍ଦ୍ରଙ୍କର ପ୍ରତିନିଧି ଭାବେ ରାଜ୍ୟଶାସନ କଲେ । ତାଙ୍କର ଅସୀମ ସ୍ଵାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ଧନ୍ୟ ଧନ୍ୟ କହିବାକୁ ଲାଗିଲେ ।

(ଙ) ସୀତା ବାଲ୍ମୀକି ଆଶ୍ରମରେ କାହିଁକି ଆଶ୍ରୟ ନେଲେ ?

ଉ : ଅଯୋଧ୍ୟାର ପ୍ରଜାମାନଙ୍କ ମନରେ ସୀତାଦେବୀଙ୍କର ସତୀତ୍ଵପ୍ରତି ସନ୍ଦେହ ଥିବା ବିଷୟ ରାମଚନ୍ଦ୍ର ଜାଣିପାରିଲେ । ପ୍ରଜାନୁରଞ୍ଜକ ରାମଚନ୍ଦ୍ର ସେମାନଙ୍କ ମନରୁ ସନ୍ଦେହ ଦୂରକରିବା ପାଇଁ ପ୍ରିୟତମା ପତ୍ନୀ ଜାନକୀଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ । ତାଙ୍କ ଆଦେଶରେ ଅନୁଜ ଲକ୍ଷ୍ମଣ ସୀତାଦେବୀଙ୍କୁ ରଥରେ ବସାଇ ମହର୍ଷି ବାଲ୍ମୀକିଙ୍କର ଆଶ୍ରମ ନିକଟସ୍ଥ ଏକ ତପୋବନରେ ଛାଡ଼ିଦେଇ ଆସିଲେ । ବାଲ୍ମୀକି ସେଠାରୁ ସୀତାଙ୍କୁ ଉଦ୍ଧାର କରି ନିଜ ଆଶ୍ରମରେ କନ୍ୟାପରି ପାଳନ କଲେ। ତେଣୁ ସୀତା ବାଲ୍ମୀକି ଆଶ୍ରମରେ ଆଶ୍ରୟ ନେଲେ । 

୨ । ପାଞ୍ଚଟି ବାକ୍ୟରେ ଉତ୍ତର ଲେଖ ।

 (କ) ସୀତା ଲଙ୍କାଗଡ଼ରେ ଥିବାର ଖବର ରାମଚନ୍ଦ୍ର କିପରି ପାଇଲେ ?

ଉ : ରାମଚନ୍ଦ୍ର ଓ ଲକ୍ଷ୍ମଣ ମୃଗୟାରୁ ଫେରି କୁଟୀରରେ ସୀତାଙ୍କୁ ନପାଇ ବ୍ୟସ୍ତ ହୋଇ ବନ ମଧ୍ୟରେ ବହୁ ଅନ୍ବେଷଣ କଲେ; କିନ୍ତୁ ଶେଷରେ ନିରାଶ ହେବାରୁ କିସ୍କିନ୍ଧ୍ୟା ରାଜା ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ତାହାଙ୍କର ଅନୁଚରମାନଙ୍କୁ ସୀତାଙ୍କୁ ଅନୁସନ୍ଧାନ କରିବାକୁ ବହୁ ସ୍ଥାନ ପଠାଇଲେ । ସୁଗ୍ରୀବଙ୍କ ବିଶ୍ଵସ୍ତ ଅନୁଚର ମହାବୀର ହନୁମାନ ଲଙ୍କା ଦ୍ବୀପକୁ ଯାଇ ସତୀ ସୀତାଙ୍କର ସାକ୍ଷାତଲାଭ କରିବାରେ ସମର୍ଥ ହୋଇଥିଲେ ଓ ରାମଚନ୍ଦ୍ର ତାଙ୍କଠାରୁ ସୀତା ଲଙ୍କାଗଡ଼ରେ ଥିବା ଖବର ପାଇଲେ।

(ଖ) ରାବଣକୁ ଦୁର୍ମତି’ ବୋଲି କହିବାର କାରଣ କ'ଣ ? କିମ୍ବା, ଲେଖକ ରାବଣକୁ ଦୁର୍ମତି ବୋଲି କାହିଁକି କହିଛନ୍ତି ?

 ଉ : ଲଙ୍କପତି ରାବଣ ବହୁ ଧନ, ମାନ, ଜ୍ଞାନ, କ୍ଷମତା ଓ ବୀରତ୍ବର ଅଧିକାରୀ ହୋଇଥିଲେ ମଧ୍ୟ ତା’ର ମତି ଥିଲା ବଡ଼ କଳୁଷିତ । ରାମ-ଲକ୍ଷ୍ମଣ ପଞ୍ଚବଟୀ ପର୍ଣ୍ଣକୁଟୀରରେ ଅନୁପସ୍ଥିତ  ଥିବାର ସୁଯୋଗ ନେଇ ସେ ଛଦ୍ମବେଶରେ ସୀତାଙ୍କୁ ଅପହରଣ କରି ନେଲା । ତାଙ୍କୁ ରାଣୀ କରିବାପାଇଁ ବହୁ ପ୍ରଲୋଭନ ଦେଖାଇଲା; କିନ୍ତୁ ତା’ର ସମସ୍ତ ଉଦ୍ୟମ ହେଲା ବ୍ୟର୍ଥ । ଶେଷରେ ସୁଗ୍ରୀବ ଓ ତାଙ୍କର ଅନୁଚରମାନଙ୍କୁ ଘେନି ରାମ ଲକ୍ଷ୍ମଣ ସେତୁଦ୍ବାରା ସମୁଦ୍ର ପାରହୋଇ ସ୍ୱର୍ଣ୍ଣମୟୀ ଲଙ୍କାପୁରକୁ କଲେ  ଅବରୋଧ । ରାମଙ୍କ ସହିତ ରାବଣର ଭୀଷଣ ସମର ହେଲା । ରାବଣର ଦୋଷରୁ ତା’ର ବଂଶ ନାଶ ଘଟିଲା । ଜ୍ଞାତି, କୁଟୁମ୍ବ,  ପରିଜନ ଓ ରାକ୍ଷସ କୁଳ ବିନାଶପ୍ରାପ୍ତ ହେଲେ। ନିଜେ ରାବଣ ରାମଙ୍କ ହାତରେ ମୃତ୍ୟୁବରଣ କଲା ଏବଂ ସ୍ଵର୍ଣ୍ଣମୟୀ ଲଙ୍କା ଛାରଖାର ହୋଇଗଲା । ଏହାସବୁ ରାବଣର କଳୁଷିତ ମତି ଓ ବିକୃତ ଚିନ୍ତାଧାରା ଯୋଗୁଁ ଘଟିଥିଲା ।

(ଗ) ରାମାୟଣରୁ ଭାତୃଭକ୍ତିର କି ସୂଚନା ମିଳେ ?

ଉ : ରାମାୟଣରେ ଭରତଙ୍କ ନିଷ୍କାମ ଭ୍ରାତୃଭକ୍ତିର ପରାକାଷ୍ଠା ପ୍ରଦର୍ଶିତ ହୋଇଛି । ରାମଚନ୍ଦ୍ରଙ୍କ ବନବାସ ସମୟରେ ଭରତ ମାମୁଘରେ ଥିଲେ ଓ ବନବାସ ସମ୍ବାଦ ପାଇ ବିଶେଷ ମର୍ମାହତ ହେଲେ । ସେ ସଙ୍ଗେ ସଙ୍ଗେ ଚିତ୍ରକୁଟକୁ ଯାଇ ଅଯୋଧ୍ୟାକୁ ଫେରିବାକୁ ରାମଙ୍କୁ ବହୁ ଅନୁରୋଧ କଲେ; ମାତ୍ର ରାମ ତାଙ୍କ କଥାରେ ରାଜି ନହେବାରୁ ସେ ତାଙ୍କର ପାଦୁକାଦ୍ବୟ ଧରି ଅଯୋଧ୍ୟାକୁ ଫେରିଲେ ଓ ସେହି ପାଦୁକାକୁ ସିଂହାସନରେ ସ୍ଥାପନ କରି ରାମଙ୍କର ଦାସ ଭାବରେ ରାଜକାର୍ଯ୍ୟ ଚଳାଇଲେ । ସେ ରାଜଭୋଗ ତ୍ୟାଗ କରି ବକକଳ ପରିଧାନ କରି ଫଳମୂଳ ଆହାର କରି ଜୀବନଯାପନ କଲେ । ଏଥିରୁ ଭରତଙ୍କ ନିଃସ୍ୱାର୍ଥପର ଭ୍ରାତୃପ୍ରେମର ପରିଚୟ ମିଳେ ।

 (ଘ) ରାମଚନ୍ଦ୍ରଙ୍କୁ ଦ୍ବିତୀୟ ବିବାହ କରିବାପାଇଁ କେଉଁମାନେ ‌ଓ କାହିଁକି ପରାମର୍ଶ ଦେଲେ ?

ଉ : ସୀତାଙ୍କ ନିର୍ବାସନ ପରେ ପ୍ରଜାନୁରଞ୍ଜକ ରାମଚନ୍ଦ୍ର ଏକ ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ । ନିୟମାନୁସାରେ ଏହି ଯଜ୍ଞକାର୍ଯ୍ୟ ସମ୍ପାଦନ ପାଇଁ ଧର୍ମପତ୍ନୀଙ୍କର ଆବଶ୍ୟକତା ଜରୁରୀ ସେତେବେଳକୁ ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କରି ସାରିଥିଲେ। ତେଣୁ ତାଙ୍କୁ ଦ୍ବିତୀୟବାର ବିବାହ କରିବାପାଇଁ ପାତ୍ରମନ୍ତ୍ରୀମାନେ ପରାମର୍ଶ ଦେଲେ ।

(ଙ) ରାମଚନ୍ଦ୍ର ଲବ କୁଶଙ୍କର ପରିଚୟ କିପରି ପାଇଲେ ?

 ଉ : ମହାନ ଅଶ୍ଵମେଧ ଯଜ୍ଞାନୁଷ୍ଠାନକୁ ଦେଶ ଦେଶାନ୍ତରରୁ ବହୁ ମୁନି, ଋଷି, ସାଧୁ ସନ୍ଥ ଆମନ୍ତ୍ରଣ ହୋଇ ଆସିଥିଲେ । ମହର୍ଷି ବାଲ୍ମୀକି ଲବ, କୁଶ ଦୁଇଭାଇଙ୍କୁ ସଙ୍ଗରେ ଧରି ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ । ମହର୍ଷିଙ୍କ ଆଦେଶରେ ଦୁହେଁ ଲଳିତ ମଧୁର କଣ୍ଠରେ ରାମାୟଣ ଗାନକଲେ । ବାଳକ ଦୁହିଁଙ୍କର ସୁଲଳିତ କଣ୍ଠ ଓ ଗାୟନ ଭଙ୍ଗୀ ଉପସ୍ଥିତ ଦର୍ଶକମାନଙ୍କୁ ମୋହିତ କଲା । ସେମାନଙ୍କଠାରେ ରାମ ଓ ସୀତାଙ୍କର ରୂପର ଛାପ ଲକ୍ଷ୍ୟକରି ଲକ୍ଷ୍ମଣ ବାଲ୍ଲୀକିଙ୍କୁ ସେମାନଙ୍କ ପରିଚୟ ମାଗିଥିଲେ । ରାମଚନ୍ଦ୍ର ବାଲ୍ମୀକିଙ୍କଠାରୁ ସେମାନଙ୍କ ପରିଚୟ ପାଇଲେ ।

୩ । ସରଳ ଭାଷାରେ ବୁଝାଇ ଲେଖ ।

 (କ) "ରାଜ୍ୟର ସମସ୍ତ ଲୋକ ଏହି ସମ୍ବାଦରେ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା।''

"ରାଜ୍ୟର ...ଉଠିଲା।''

   ଶଂସିତ ଗଦ୍ୟାଂଶଟି 'ରାମାୟଣ କଥା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଭକ୍ତକବି ମଧୁସୂଦନ ରାଓ ରାମଙ୍କର ବନବାସ ସମ୍ବାଦରେ ଶୋକାଭିଭୂତ ଅଯୋଧ୍ୟାବାସୀଙ୍କର କରୁଣ ଅବସ୍ଥା ବର୍ଣ୍ଣନା କରିଛନ୍ତି । 

ଦଶରଥ ବୃଦ୍ଧାବସ୍ଥାରେ ଉପନୀତ ହେବାରୁ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କୁ ରାଜ୍ୟଭାର ଅର୍ପଣ କରିବାକୁ ଇଚ୍ଛାପ୍ରକାଶ କଲେ । ତଦନୁଯାୟୀ ଅଭିଷେକୋତ୍ସବର ଆୟୋଜନ ହେଲା । ରାଜ୍ୟବାସୀ ଏ ସମ୍ବାଦରେ ଅତିଶୟ ଆନନ୍ଦିତ ହେଲେ । କାରଣ ରାମଚନ୍ଦ୍ର ବହୁ ସଦଗୁଣର ଅଧିକାରୀ ଥିଲେ; କିନ୍ତୁ ଜନୈକା ଦୁଷ୍ଟା ଦାସୀ ମନ୍ଥରାର କୁପରାମର୍ଶରେ ରାଣୀ କୈକେୟୀ ନିଜ ପୁତ୍ର ଭରତଙ୍କୁ ଅଯୋଧ୍ୟାର ସିଂହାସନରେ ଅଭିଷିକ୍ତ କରିବା ଉଦ୍ଦେଶ୍ୟରେ ଦଶରଥଙ୍କ ନିକଟରେ ଉପସ୍ଥିତ ହୋଇ ପୂର୍ବ ପ୍ରତିଶ୍ରୃତି ଅନୁସାରେ ଦୁଇଟି ବର ମାଗିବସିଲେ । ପ୍ରଥମତଃ ଭରତ ଅଯୋଧ୍ୟାର ରାଜା ହେବେ ଓ ଅପରଟି ରାମଚନ୍ଦ୍ର ଚତୁର୍ଦ୍ଦଶ ବର୍ଷ ନିମିତ୍ତ ବନକୁ ନିର୍ବାସିତ ହେବେ । ଅଙ୍ଗୀକାରବଦ୍ଧ ହୋଇଥିବାରୁ ଦଶରଥ ନୀରବ ରହିଲେ; ମାତ୍ର ପିତୃଭକ୍ତ ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା କରିବା ନିମିତ୍ତ ବନଗମନ ପାଇଁ ପ୍ରସ୍ତୁତ ହେଲେ । ଏ ସମ୍ବାଦ ପାଇ ଅଯୋଧ୍ୟାବାସୀ ଦୁଃଖରେ ହାହାକାର କରିବାକୁ ଲାଗିଲେ ଓ ଘରେ ଘରେ କ୍ରନ୍ଦନର ରୋଳ ଶୁଣିବାକୁ ମିଳିଲା ।

 ପ୍ରସଙ୍ଗଟିରେ ଅଯୋଧ୍ୟାବାସୀଙ୍କର ରାମଚନ୍ଦ୍ରଙ୍କ ପ୍ରତି ଅପୂର୍ବ ସ୍ନେହ ଶ୍ରଦ୍ଧାର ପରିଚୟ ମିଳେ ।

(ଖ) ତାହାଙ୍କର ଏହିପ୍ରକାର ସ୍ବାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ବିସ୍ମୟାନ୍ବିତ ହୋଇ ଧନ୍ୟଧନ୍ୟ କହିବାକୁ ଲାଗିଲେ।

"ତାହାଙ୍କର  ..... ଲାଗିଲେ ।''

 ଶଂସିତ ଗଦ୍ୟାଂଶଟି ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ରାମାୟଣ କଥା” ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ଭ୍ରାତୃଭକ୍ତ ଭରତଙ୍କର ନିର୍ଲୋଭ ଓ ନିଃସ୍ୱାର୍ଥପର ଚରିତ୍ର ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।

ଅଗ୍ରଜ ରାମଚନ୍ଦ୍ରଙ୍କର ପରମ ଅନୁଗତ ଭରତ ମାମୁଘରୁ ଫେରି ମାତା କୈକେୟୀଙ୍କର ସମସ୍ତ କୂଟଚକ୍ରାନ୍ତ ବିଷୟରେ ଅବଗତ ହେଲେ ଓ ସଙ୍ଗେ ସଙ୍ଗେ ବନକୁ ଯାଇ ସେଠାରେ ଚିତ୍ରକୁଟ ପର୍ବତରେ ରାମଚନ୍ଦ୍ରଙ୍କୁ ଭେଟିଲେ । ରାମଙ୍କର ଚରଣ ସ୍ପର୍ଶ କରି ଓ ବହୁ ଅନୁନୟ ବିନୟ କରି ତାଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ ସେ ଅନୁରୋଧ କଲେ; ମାତ୍ର ପିତୃସତ୍ୟ ରକ୍ଷାରୁ ବିରତ ହୋଇ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ବୋଲି କହିବାରୁ ଭରତ ଦୁଃଖରେ ଭାଙ୍ଗି ପଡ଼ିଲେ । ଭରତଙ୍କୁ ବହୁ ପ୍ରବୋଧନା ଦେଇ ନାନାଭାବେ ବୁଝାଇ ରାମଚନ୍ଦ୍ର ଅଯୋଧ୍ୟା  ଫେରାଇଦେଲେ । ଭ୍ରାତୃଭକ୍ତ ଭରତ ରାମଚନ୍ଦ୍ରଙ୍କର କଠଉ ଦୁଇଟି ଆଣି ସିଂହାସନରେ ରଖିଲେ ଓ ତାଙ୍କର ଦାସାନୁଦାସ ଭାବେ ପ୍ରତିନିରୂପେ ରାଜ୍ୟଶାସନ କଲେ । ରାମଚନ୍ଦ୍ରଙ୍କ ପରି ସେ ବଳ୍କଳ ପରିଧାନ କରି ଓ ଫଳମୂଳ ଆହାର କରି ବନବାସୀର ଜୀବନ ଅତିବାହିତ କଲେ । ଭରତଙ୍କର ଏତାଦୃଶ ନିର୍ଲୋଭ ଓ ନିଃସ୍ୱାର୍ଥପର ଜୀବନ ଲକ୍ଷ୍ୟ କରି ପ୍ରଜାମାନେ ଧନ୍ୟ ଧନ୍ୟ କହିବାକୁ ଲାଗିଲେ । 

ପ୍ରସଙ୍ଗଟିରୁ ଭରତଙ୍କର ଅନାବିଳ ଭ୍ରାତୃଭକ୍ତିର ପରିଚୟ ମିଳେ।

(ଗ) ସତୀ ସୀତାଙ୍କର ନୟନ ବାରି କାଳାନଳ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲା ।'

"ସତୀ .......କରିଦେଲା ।'' 

ଶଂସିତ ଗଦ୍ୟାଂଶଟି 'ରାମାୟଣ କଥା' ଶୀର୍ଷକ ପ୍ରବନ୍ଧରୁ ଆନୀତ। ଏଠାରେ ଲେଖକ ଭକ୍ତକବି ମଧୁସୂଦନ ରାଓ ମହାସତୀ ଜାନକୀଙ୍କର ଚକ୍ଷୁର ଲୋତକ କିପରି ରାବଣର ଲଙ୍କାପୁରୀ ଧ୍ଵଂସର କାରଣ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି।    
      ପିତୃସତ୍ୟ ପାଳନ କରି ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହ ବନବାସରେ ଥିବା ସମୟରେ ପଞ୍ଚବଟୀରେ କୁଟୀର ନିର୍ମାଣ କରି କିଛି କାଳ ରହିଥିଲେ । ସେଠାରେ କିଛି ଦିନ ବାସକଲାପରେ ଏକଦା ରାମ ଓ ଲକ୍ଷ୍ମଣ ମୃଗୟା ଉଦ୍ଦେଶ୍ୟରେ ଅରଣ୍ୟ ମଧ୍ୟକୁ ଯିବା ଅବସରରେ ଦୁର୍ମତି ରାବଣ ସୀତାଙ୍କୁ ହରଣ କରି ନେଇଗଲା ଓ ରାଣୀ କରି ରଖିବା ନିମନ୍ତେ ନାନା ପ୍ରଲୋଭନ ଦେଖାଇଲା; ମାତ୍ର ସତୀ ସୀତା ସେଥିରେ ନ ଭୁଲି ପତି ଶ୍ରୀରାମଚନ୍ଦ୍ରଙ୍କୁ ଧ୍ୟାନ କରି ରାକ୍ଷସପୁରୀରେ ଦୁଃଖରେ ଦିନ କଟାଇବାକୁ ଲାଗିଲେ । ରାମଚନ୍ଦ୍ର ଓ ଲକ୍ଷ୍ମଣ ବୀର ହନୁମାନଠାରୁ ଲଙ୍କାପୁରୀରେ ସୀତାଙ୍କର ସନ୍ଧାନ ପାଇ କିସ୍କିନ୍ଧ୍ୟା ରାଜା ସୁଗ୍ରୀବ ଓ ଅନ୍ୟ ଅନୁଚରମାନଙ୍କସହ ଲଙ୍କାପୁରୀ ଆକ୍ରମଣ କଲେ । ଭୀଷଣ ସମରରେ ରାବଣର ବୀରପୁତ୍ର ଇନ୍ଦ୍ରଜିତ ସମେତ ବହୁ ମହାବୀର ମୃତ୍ୟୁବରଣ କଲେ । ଶେଷରେ ସ୍ୱର୍ଣ୍ଣଲଙ୍କାପୁରୀର ରାଜା ରାବଣର ବିନାଶ ହେଲା । ରାବଣପୁରୀରେ ଥିଲାବେଳେ ସତୀ ସୀତାଙ୍କର ଲୋତକ ବାରି ଓ ଦୀର୍ଘଶ୍ବାସ, ଅଭିଶାପ ସଦୃଶ ସ୍ଵର୍ଣ୍ଣଲଙ୍କାପୁରୀକୁ ଭସ୍ମ କରିଦେଲା । 

 ପ୍ରସଙ୍ଗଟି ପ୍ରାଣସ୍ପର୍ଶୀ ଓ ଶିକ୍ଷାମୂଳକ ।

୪ । 'କ' ସ୍ତମ୍ଭ ସହିତ ମେଳ ଖାଉଥିବା କଥାଗୁଡ଼ିକ 'ଖ' ସ୍ତମରୁ ବାଛି ଲେଖ ।

‘କ’ ସ୍ତମ୍ଭ 'ଖ' ସ୍ତମ୍ଭ 
ରାବଣ -ମନ୍ଥରା
ପଞ୍ଚବଟୀ -ଅନୁଚର
ଦୁଷ୍ଟଦାସୀ -ଲଙ୍କାପତି
ଦୁଇଟିବର -ଅଙ୍ଗୀକାର
ହନୁମାନ -ସୀତା ହରଣ

ଉତ୍ତର:-

କ’ ସ୍ତମ୍ଭ 'ଖ' ସ୍ତମ୍ଭ 
ରାବଣ  -ଲଙ୍କାପତି
ପଞ୍ଚବଟୀ  -ସୀତା ହରଣ
ଦୃଷ୍ଟଦାସୀ  -ମନ୍ଥରା
ଦୁଇଟି ବର- ଅଙ୍ଗୀକାର
ହନୁମାନ- ଅନୁଚର



୫। ବାମପଟ ତଳେ କେତେକ ଶବ୍ଦ ଦିଆଯାଇଛି । କୋଠରି ଭିତରେ ତା’ର ଅର୍ଥ ସୂଚାଉଥିବା ଶବ୍ଦଗୁଡ଼ିକ ଲେଖାଯାଇଛି । ବାମପଟ ଶବ୍ଦର ଅର୍ଥ କୋଠରି ମଧ୍ୟରେ ଥିବା ଶବ୍ଦରୁ ବାଛ ଓ ତାହାକୁ ନେଇ ବାକ୍ୟରେ ବ୍ୟବହାର କର । 

ଉ : ଶବ୍ଦର ଅର୍ଥ
 ଅନୁଗତ - ବିଶ୍ବସ୍ତ 
ପାଦୁକା - କଠାଉ 
 ଦୁର୍ମତି - ଦୁଷ୍ଟଲୋକ 
କାଳାନଳ - ପ୍ରଚଣ୍ଡ ଅଗ୍ନି 
ଯମଜ - ଯାଆଁଳା 

ବାକ୍ୟ : ବିଶ୍ବସ୍ତ – ହନୁମାନ ରାମଙ୍କର ବିଶ୍ବସ୍ତ ଥିଲେ ।
କଠାଉ – ସାଧୁମାନେ କଠାଉ ବ୍ୟବହାର କରନ୍ତି । 
ପ୍ରିୟ – ରାମଚନ୍ଦ୍ର ଅଯୋଧ୍ୟାବାସୀଙ୍କର ପ୍ରିୟ ଥିଲେ । 
ଦୁଷ୍ଟଲୋକ - ଦୁଷ୍ଟଲୋକକୁ ସମସ୍ତେ ଘୃଣା କରନ୍ତି । 
ପ୍ରଚଣ୍ଡ ଅଗ୍ନି – ପ୍ରଚଣ୍ଡ ଅଗ୍ନିରେ ଜାପାନ ଧ୍ଵଂସ ହେଲା ।
ଯାଆଁଳା – ଲବ ଓ କୁଶ ଯାଆଁଳା ଭାଇ ।

 ୬ । ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରେ କେତେକ ବିପରୀତାର୍ଥବୋଧକ ଶବ୍ଦ ମିଶାମିଶି ହୋଇ ରହିଛି । ସେଗୁଡ଼ିକୁ ବାଛି ସ୍ତମ୍ଭ ଆକାରରେ ସଜାଇ ଲେଖ।

ଉଦାହରଣ : ସୁଖ - ଦୁଃଖ 
ପ୍ରାଚୀନ - ନବୀନ
 ଅନୁରାଗ - ବିରାଗ 
ଆନନ୍ଦ - ନିରାନନ୍ଦ 
ଜ୍ୟେଷ୍ଠା - କନିଷ୍ଠା
ସଦଗୁଣ - ବଦଗୁଣ 
ସନ୍ତୁଷ୍ଟ - ଅସନ୍ତୁଷ୍ଟ
 
୭ । ଲିଙ୍ଗ ପରିବର୍ତ୍ତନ କରି ଲେଖ । (ଯେପରି ପୁଅ-ଝିଅ)ରାଜା, ଭାଇ, ପୁତ୍ର, ପିତା, କୁମାର, ବୃଦ୍ଧ, ନର ।

 ଉ : ରାଜା – ରାଣୀ, 
ଭାଇ – ଭଉଣୀ, 
ପୁତ୍ର – କନ୍ୟା, 
ପିତା- ମାତା, 
କୁମାର – କୁମାରୀ, 
ବୃଦ୍ଧ – ବୃଦ୍ଧା, 
ନର – ନାରୀ 

୮ । ତଳ କୋଠରିରେ ଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ଏକ ଅନୁଚ୍ଛେଦ ଲେଖ ।

 ରାମଚନ୍ଦ୍ର, ଅଧିର, ମୃଗୟା, ଶୋକରେ, ଅନୁସନ୍ଧାନ, କିସ୍କିନ୍ଧ୍ୟା, ସୁଗ୍ରୀବ, ଚାରୁହର୍ମ୍ୟଶାଳିନୀ, ଅନୁଚର, ବୀର,ହନୁମାନ, ସୀତା, ସେତୁ, ଲକ୍ଷ୍ମଣ, ଲଙ୍କାପୁର ।

 ଉ : ରାମଚନ୍ଦ୍ର, ମୁଗୟାରୁ ଫେରି ସୀତାଙ୍କୁ ନ ପାଇ ଶୋକରେ ଅଧିର ହୋଇପଡ଼ିଲେ । ସେ ନାନା ସ୍ଥାନରେ ସୀତାଙ୍କୁ ଅନୁସନ୍ଧାନ କରିବାକୁ ଲାଗିଲେ । କିନ୍ତୁ ତାହାଙ୍କୁ ନ ପାଇ କିସ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସହିତ ମିତ୍ରତା କରି ତାହାଙ୍କର ଅନୁଚର ମାନଙ୍କୁ ସୀତାଙ୍କର ସନ୍ଧାନରେ ପଠାଇଲେ । ସୀତାଙ୍କର ସନ୍ଧାନ ପାଇ ରାମ, ଲକ୍ଷ୍ମଣ, ସୁଗ୍ରୀବି, ବୀର ହନୁମାନ ପ୍ରମୁଖ ସେତୁ ଦ୍ବାରା ସମୁଦ୍ର ପାରହୋଇ ରାବଣର ଚାରୁ ହର୍ମ୍ୟ ଶାଳିନୀ ଉପବନ ଶୋଭିତା ଲଙ୍କାପୁରକୁ ଅବରୋଧ କଲେ । 

୯ । ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

 ଉ : ପ୍ରତିଶବ୍ଦ 

ପ୍ରାଚୀନ - ପୁରୁଣା, ପୁରାତନ
ବସନ - ବସ୍ତ୍ର, ପରିଧେୟ 
କଠାଉ - ପାଦୁକା, ଖଡ଼ମ
ଅନଳ - ବହ୍ନି ନିଆଁ
ନୟନ - ଚକ୍ଷୁ, ଆଖୁ
ଦାର - ପତ୍ନୀ, ସ୍ତ୍ରୀ

୧୦ । ରେଖାଙ୍କିତ ପଦମାନଙ୍କର ଅର୍ଥ ବୁଝାଉଥିବା କେତେକ ଶବ୍ଦ ବୃତ୍ତ ଭିତରେ ଲେଖାଯାଇଛି । ସେଗୁଡ଼ିକ ମଧ୍ୟରୁ ଉପଯୁକ୍ତ ପଦ ବ୍ୟବହାର କରି ସେହି ବାକ୍ୟଗୁଡ଼ିକୁ  ପୁଣିଥରେ ଲେଖ ।

(କ) କିନ୍ତୁ ରାମଚନ୍ଦ୍ର ଦ୍ବିତୀୟ ଦାର-ପରିଗ୍ରହ ନ କରି ସୀତାଙ୍କର ସ୍ୱର୍ଣ୍ଣମୟୀ ମୂର୍ତ୍ତି ଗଠନ କରି ଯଜ୍ଞାନୁଷ୍ଠାନ ଆରମ୍ଭ କଲେ । 
(ଖ) କିନ୍ତୁ ଅବିଶ୍ୱାସୀ କୁଟିଳ ପ୍ରକୃତିର ଲୋକମାନେ କୌଣସି ଉତ୍ତର ଦେଲେ ନାହିଁ । 
(ଗ) ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ବିନାଶ ପ୍ରାପ୍ତ ହେଲା ।
 (ଘ) ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଗମନ କଲେ ।

 ଉ:(କ) କିନ୍ତୁ ରାମଚନ୍ଦ୍ର ଦ୍ବିତୀୟବାର ବିବାହ ନକରି ସୀତାଙ୍କର ମୂର୍ତ୍ତି ଗଠନ କରି ଯଜ୍ଞାନୁଷ୍ଠାନ ଆରମ୍ଭ କଲେ । 
 (ଖ) କିନ୍ତୁ ଅବିଶ୍ୱାସୀ କୁଟିଳ ପ୍ରକୃତିର ଲୋକମାନେ ନିରୁତ୍ତର ରହିଲେ । 
 (ଗ) ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ବିନଷ୍ଟ ହେଲା। 
(ଘ) ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟା ଫେରିଲେ ।

 ୧୧ । ୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ । 

(କ) ଭରତଙ୍କ ଚରିତ୍ର ବିଷୟରେ ଲେଖ । 

ଉ : ଭାତୃଭକ୍ତ ଭରତ ଥଲେ ନିଃସ୍ୱାର୍ଥପର ଓ ନ୍ୟାୟପରାୟଣ । ତାଙ୍କର ଅଯୋଧ୍ୟାର ସିଂହାସନପ୍ରତି କୌଣସି ଆସକ୍ତି ନଥିଲା । ଅପରନ୍ତୁ ରାମଙ୍କର ସେ ଏକାନ୍ତ ଅନୁଗତ ଥଲେ । ସେଥିପାଇଁ ମାମୁ ଘରୁ ଫେରିଲାପରେ ମାତା କୈକେୟୀଙ୍କର ଅନ୍ୟାୟ ବୁଝିପାରି ତତ୍କ୍ଷଣାତ୍ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ଫେରାଇ ଆଣିବାପାଇଁ ବନଗମନ କଲେ । ଏଥିରୁ ତାଙ୍କ ଚରିତ୍ରର ମହନୀୟତା ପରିଲକ୍ଷିତ ହୁଏ । ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପାଇଁ ଅସମ୍ମତ ହେବାରୁ ତାଙ୍କ ଚରଣ ପାଦୁକା ଆଣି ସଂହାସନରେ ସ୍ଥାପନ କରି ରାମଙ୍କ ପ୍ରତିନିଧିଭାବେ ରାଜ୍ୟଶାସନ କଲେ ଏବଂ ରାମଙ୍କ ପରି ବନବାସୀ ଜୀବନ ଅତିବାହିତ କରିବାକୁ ଲାଗିଲେ । ଏପରି ଭ୍ରାତୃଭକ୍ତ ଅନୁଜ କ୍ବଚିତ୍ ଦେଖବାକୁ ମିଳେ । 

(ଖ) କୁଶ ଓ ଲବ ଯଜ୍ଞସ୍ଥଳରେ କିପରି ଭାବେ ସମସ୍ତଙ୍କୁ ମୁଗ୍ଧ କଲେ ?

ଉ : ରାମଚନ୍ଦ୍ର ସୀତାଙ୍କୁ ବିସର୍ଜନ କରିବା ପରେ ସୀତା  ମହର୍ଷି ବାଲ୍ଲୀକିଙ୍କ ଆଶ୍ରମରେ ରହିଲେ । ସେହିଠାରେ ସୀତାଙ୍କର ଦୁଇଟି ଯମଜ ପୁତ୍ର ଜାତ ହେଲେ । ବାଲ୍ମୀକି ସେହି ଦୁଇ ଶିଶୁଙ୍କୁ କୁଶ ଓ ଲବ ନାମଦେଲେ । ସେ ସେମାନଙ୍କୁ ବିଭିନ୍ନ ବିଦ୍ୟା ଶିକ୍ଷା ଦେବା ସହିତ ରାମ ଓ ସୀତାଙ୍କ ବିଷୟରେ ମହାକାବ୍ୟ ରଚନା କରି ତାହା ଗାଇବାକୁ ଶିଖାଇଲେ । ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ ଅନୁଷ୍ଠାନ କରିବା ସମୟରେ ମହର୍ଷି ବାଲ୍ମୀକି ନିମନ୍ତ୍ରିତ ହୋଇ କୁଶ ଓ ଲବଙ୍କୁ ନେଇ ଯଜ୍ଞ ସ୍ଥାନରେ ଉପସ୍ଥିତ ହୋଇଥିଲେ । ମହର୍ଷି ବାଲ୍ଲୀକିଙ୍କ ଆଦେଶ ମତେ କୁଶ ଓ ଲବ ଯଜ୍ଞସୁଳରେ ରାମାୟଣ ଗାନକରି ସମସ୍ତଙ୍କୁ ମୁଗ୍ଧ କଲେ ।

୧୨। ୧୦୦ଟି ଶବ୍ଦ ମଧ୍ୟରେ ଲେଖ । 

ରାମାୟଣରୁ କେଉଁ ସୁଶିକ୍ଷା ମିଳୁଛି ?

 ଉ : ରାମାୟଣ ଗ୍ରନ୍ଥଟି ବିଭିନ୍ନ ଆଦର୍ଶ ଓ ନୈତିକ ଉପଦେଶରେ ପରିପୂର୍ଣ୍ଣ । ତେଣୁ ଏହି ଗ୍ରନ୍ଥରୁ ଆମକୁ ବହୁ ସୁଶିକ୍ଷା ମିଳିଥାଏ । ରାମାୟଣର ଦଶରଥଙ୍କ ଚରିତ୍ରରୁ ଆମେ ସତ୍ୟ ରକ୍ଷା ଭଳି ମହନୀୟ ଗୁଣ ଶିକ୍ଷା କରିଥାଉ । ସତ୍ୟରକ୍ଷା ପାଇଁ ସେ ପିତୃଭକ୍ତ ପୁତ୍ର ରାମଚନ୍ଦ୍ର ବନବାସକୁ ପଠାଇଥିଲେ । ସେହିଭଳି ରାମାୟଣରୁ ଜଣେ ଆଦର୍ଶ ପୁତ୍ର, ଆଦର୍ଶ ସ୍ୱାମୀ, ଆଦର୍ଶ ଭ୍ରାତା ଓ ଆଦର୍ଶ ପିତା ଭାବରେ ରାମଚନ୍ଦ୍ରଙ୍କ ନିକଟରୁ ମହତ୍ ଶିକ୍ଷା ପାଇଥାଉ । 
 ରାମାୟଣରେ ଜନକ ନନ୍ଦିନୀ ସୀତାଙ୍କ ଚରିତ୍ରରୁ ପତିବ୍ରତା ଧର୍ମର ଶିକ୍ଷା ମିଳିଥାଏ । ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ଶ୍ରୀରାମଙ୍କୁ ସ୍ମରଣ କରୁଥିଲେ । ରାମାୟଣରେ ବର୍ଣ୍ଣିତ ଲକ୍ଷ୍ମଣ ଓ ଭରତଙ୍କ ଚରିତ୍ରରୁ ଆମେ ଭ୍ରାତୃଭକ୍ତିର ଆଦର୍ଶ ଶିକ୍ଷା କରିଥାଉ । ଲକ୍ଷ୍ମଣ ଓ ଭରତଙ୍କର ସେବା ଏବଂ ତ୍ୟାଗ ଶିକ୍ଷଣୀୟ କଥା । ରାତି ଉଜାଗର ରହି ଲକ୍ଷ୍ମଣ ରାମଙ୍କ ସେବକ ଭାବରେ ନିଜକୁ ଉତ୍ସର୍ଗ କରିଥିବାବେଳେ ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ରଖି ବଳ୍କଳ ପରିଧାନ କରି ରାଜ୍ୟ ଶାସନ କରିବା ସୁଶିକ୍ଷା ପ୍ରଦ । ପାପ ଓ ଅନ୍ୟାୟର ଫଳ କିଭଳି ସବୁବେଳେ ମନ୍ଦ ହୋଇଥାଏ  ରାମାୟଣରୁ ତାହା ଶିକ୍ଷା କରିବାକୁ ମିଳେ ।


Comments

Popular posts from this blog

କଳାମାଣିକରେ

ପୃଥିବୀ ଓ ସୌରଜଗତ