ପୃଥିବୀର ଗତି



୧ । ନିମ୍ନଲିଖୁତ ବାକ୍ୟଗୁଡ଼ିକରେ ଥିବା ଶୂନ୍ୟସ୍ଥାନ ପୂରଣ କର । 

(କ) ବିଷୁବ ବୃତ୍ତଠାରେ ପୃଥିବୀର ଆବର୍ତ୍ତନର ବେଗ ଘଣ୍ଟା ପ୍ରତି – କିଲୋମିଟର ।
 (ଖ) ପୃଥିବୀର ଦୁଇମେରୁଠାରେ ଆବର୍ତ୍ତନର ବେଗ ଘଣ୍ଟାକୁ- କି.ମି. ।
 (ଗ) ପୃଥିବୀର ଅକ୍ଷ ତା’ର କକ୍ଷ ତଳ ସହିତ __ ଡିଗ୍ରୀ କୋଣ କରି ଆନତ ଥାଏ ।
(ଘ) ସାଧାରଣତଃ ଦୁଇଟି ଅଧିବର୍ଷ ମଧ୍ୟରେ ବ୍ୟବଧାନ __ ବର୍ଷ ଅଟେ । 

ଉ: (କ) ୧୭୭୦, (ଖ) ଶୂନ, (ଗ) ୬୬, (ଘ) ୪ । 

୨।ନିମ୍ନଲିଖୁତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ । 

(କ) ପୃଥିବୀର କେତେ ପ୍ରକାର ଗତି ଅଛି ଓ ସେଗୁଡ଼ିକ କ’ଣ କ’ଣ ? 

ଉ : (i) ପୃଥିବୀର ଦୁଇ ପ୍ରକାର ଗତି ଅଛି । 
 (ii) ସେଗୁଡ଼ିକ ହେଉଛି – ଆବର୍ତ୍ତନ ବା ଦୈନିକ ଗତି ଓ ପରିକ୍ରମଣ ବା ବାର୍ଷିକ ଗତି ।

 (ଖ) ପୃଥିବୀର ଆବର୍ତ୍ତନର ବେଗ ଭୂପୃଷ୍ଠର କେଉଁଠାରେ ସର୍ବାଧିକ ଓ କାହିଁକି ? 

 ଉ : (i) ପୃଥିବୀର ଆବର୍ତ୍ତନର ବେଗ ବିଷୁବ ବୃତ୍ତଠାରେ ସର୍ବାଧିକ । 
 (ii) କାରଣ ବିଷୁବ ବୃତ୍ତର ପରିଧି ସବୁଠାରୁ ଅଧିକ । ତେଣୁ ଏହ। ସେଠାରେ ସର୍ବାଧିକ ବେଗରେ ଆବର୍ତ୍ତନ କରିଥାଏ ।

(ଗ) ପୃଥିବୀର ଆବର୍ତ୍ତନର ବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ଆମେ କାହିଁକି ତାହା ଅନୁଭବ କରିପାରୁ ନାହୁଁ ?

 ଉ : (i) ପୃଥିବୀ ଅଧିକ ବେଗରେ ଗତି କରୁଥିଲେ ମଧ୍ୟ ତାହା  ଆମକୁ ଜଣାପଡ଼େ ନାହିଁ । କାରଣ, ପୃଥିବୀର ଆକାର ବହୁତ ବଡ଼ । 
 (ii) ପୃଥିବୀର ଆୟତନ ତୁଳନାରେ ଆମର ସ୍ଥିତି ଏକ ଗ୍ଲୋବ୍‌ରେ ସାମାନ୍ୟ ବିନ୍ଦୁ ସଦୃଶ । 

(ଘ) ପୃଥିବୀର ଆବର୍ତ୍ତନର ବେଗ କେଉଁଠାରେ ସର୍ବନିମ୍ନ ଓ କାହିଁକି ? 

ଉ : i) ପୃଥିବୀର ଆବର୍ତ୍ତନର ବେଗ ମେରୁଠାରେ ସର୍ବନିମ୍ନ ହୋଇଥାଏ । 
(ii) କାରଣ, ଆବର୍ତ୍ତନ ସମୟରେ ଏହାର ମେରୁ ଦୁଇଟି ସ୍ଥିର ରହିଥାଏ ।

 (ଙ) ପୃଥିବୀର ପରିକ୍ରମଣକୁ କାହିଁକି ତା’ର ବାର୍ଷିକ ଗତିବୋଲି କୁହାଯାଏ ?

 ଉ : ପୃଥିବୀର ପରିକ୍ରମଣକୁ ତା’ର ବାର୍ଷିକ ଗତି କୁହାଯାଏ।କାରଣ
 (i) ଏହି ପରିକ୍ରମଣ ଗତି ଫଳରେ ପୃଥିବୀରେ ବର୍ଷ ସଂଘଟିତ ହୋଇଥାଏ । ଏବଂ 
 (ii) ଋତୁ ପରିବର୍ତ୍ତନ ସଂଘଟିତ ହୋଇଥାଏ ।

୩ । ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ ।

 (କ)ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ବର୍ଷର କେଉଁ କେଉଁ ସମୟରେ କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ । 


(i) ଜୁନ୍ ମାସ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ । ଏହି ଦିନ କର୍କଟକ୍ରାନ୍ତି (୨୩୧ ଉ. ଅକ୍ଷାଂଶ) ଉପରେ ସୂର୍ଯ୍ୟକିରଣ ଲମ୍ବ ଭାବରେ ପଡ଼ିଥାଏ । ଏହି ଦିବସକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ । ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ଅଧିକ ହୋଇଥାଏ । ତେଣୁ ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ।
 (ii) ଠିକ୍ ସେହିପରି ଡିସେମ୍ବର ୨୨ ତାରିଖ ବେଳକୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇରହିଥାଏ  ଏବଂ ମକରକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ । ତେଣୁ ସେଠାରେ ତାପମାତ୍ରା ଅଧିକ ହୁଏ ଏବଂ ଗ୍ରୀଷ୍ମଋତୁ ହୋଇଥାଏ ।

(ଖ) ପୃଥିବୀରେ ଦିନରାତି କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ । 

ଉ :(i) ପୃଥିବୀ ସୂର୍ଯ୍ୟଙ୍କଠାରୁ କିଛି ଦୂରରେ ରହି ନିଜ ଅକ୍ଷ ଚାରିପଟେ ପ୍ରାୟ ୨୪ ଘଣ୍ଟାରେ ଥରେ ପଶ୍ଚିମରୁ ପୂର୍ବକୁ ଆବର୍ତ୍ତନ କରିଥାଏ ।
 (ii) ପୃଥିବୀର ଏହି ଆବର୍ତ୍ତନ ଦ୍ଵାରା ତାହାର ପୃଷ୍ଠଭାଗରେ ଥିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟା ମଧ୍ୟରୁ ୧୨  ଘଣ୍ଟା ଏହାର ଅର୍ଦ୍ଧାଂଶରେ ଆଲୋକ ଏବଂ ଅବଶିଷ୍ଟ ୧୨ ଘଣ୍ଟା ଅର୍ଦ୍ଧାଂଶରେ ଅନ୍ଧାର ରହିଥାଏ।


(iii) ଯେଉଁ ଦ୍ରାଘିମା ରେଖାଟି ପୂର୍ବ ଦିଗରେ ପୃଥିବୀର ଅନ୍ଧକାର ଅର୍ଦ୍ଧାଂଶ ପରିତ୍ୟାଗ କରି ଆଲୋକିତ ଅର୍ଦ୍ଧାଂଶରେ ପ୍ରବେଶ କରେ, ସେତେବେଳେ ସେହି ଦ୍ରାଘିମାରେଖା ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ସୂର୍ଯ୍ୟୋଦୟ ହୁଏ । 
(iv) ତା'ପରେ ସଂପୃକ୍ତ ଦ୍ରାଘିମାଟି ଆବର୍ତ୍ତନ କ୍ରମରେ ପୂର୍ବଦିଗକୁ ଅଧିକରୁ ଅଧିକ ଅଗ୍ରଗତି କରିବା ହେତୁ ସେହି ଦାଘିମା ଉପରିସ୍ଥ ସବୁସ୍ଥାନରେ ଦିନ କ୍ରମଶଃ ବଢ଼ି ବଢ଼ି ମଧାହ୍ନ, ଅପରାହ୍ନ ଓ ସନ୍ଧ୍ୟା ହୋଇଥାଏ ।
 (v) ସନ୍ଧ୍ୟାପରଠାରୁ ପୃଥିବୀ କ୍ରମଶଃ ଅଧିକ ପୂର୍ବଦିଗକୁ ଗତି କରିବା ଫଳରେ ସେହି ଦ୍ରାଘିମା ଉପରେ ଥିବା ସବୁସ୍ଥାନରେ ରାତ୍ରି, ମଧ୍ୟରାତ୍ରି ଏବଂ ପୁନଃ ସକାଳ । ହୋଇଥାଏ, ଏହିପରି ପୃଥିବୀରେ ଦିନରାତି ସଂଘଟିତ ହୁଏ । 

(ଗ) ପୃଥିବୀର ଅକ୍ଷ ଦଣ୍ଡ ତା’ର କକ୍ଷ ତଳ ସହିତ ଲମ୍ବଭାବରେ ଥିଲେ ଭୂପୃଷ୍ଠରେ କ’ଣ ଘଟନ୍ତା ବୁଝାଇ ଲେଖ। 

ଉ : ପୃଥିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବ ଭାବରେ ଥିଲେ:-
 (i) ପୃଥିବୀର କୌଣସି ମେରୁ କେତେବେଳେ ବି ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହୁ ନ ଥାଆନ୍ତା । ଫଳରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ କି ତା’ର ବିପରୀତ ଋତୁ ହେଉନଥା’ନ୍ତା । 
 (ii) ସୂର୍ଯ୍ୟଙ୍କର ଲମ୍ବ କିରଣ ସର୍ବଦା ବିଷୁବ ବୃତ୍ତ ଉପରେ ପଡ଼ିଥାନ୍ତା । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କି ଦକ୍ଷିଣାୟନ ଗତି ହୋଇ ପାରିନଥାନ୍ତା । 
 (iii) ଉଭୟ ଗୋଲାର୍ଦ୍ଧ ସମାନ ପରିମାଣର ସୂର୍ଯ୍ୟକିରଣ ପାଆନ୍ତା । ଦିନରାତି ସାନବଡ଼ ହୁଅନ୍ତା ନାହିଁ ।
 (iv) ମେରୁଠାରେ ୬ମାସ ଦିନ କି ୬ ମାସ ରାତି ହୁଅନ୍ତା ନାହିଁ।ଉଭୟ ଗୋଲାର୍ଦ୍ଧରେ ସମାନ ଋତୁ ଅନୁଭୂତ ହୁଅନ୍ତା । (v) କର୍କଟକ୍ରାନ୍ତି କି ମକରକ୍ରାନ୍ତି ଉପରେ ଲମ୍ବ କିରଣ ପଡ଼ନ୍ତା ନାହିଁ । ଆଲୋକ ବୃତ୍ତ ସର୍ବଦା ଉଭୟ ମେରୁକୁ ସ୍ପର୍ଶ କରୁଥା'ନ୍ତା ।

୪ । ପାର୍ଥକ୍ୟ ଦର୍ଶାଅ । 

(କ) ଆବର୍ତ୍ତନ ଓ ପରିକ୍ରମଣ : 

ଆବର୍ତ୍ତନ  

 (i) ପୃଥିବୀ ନିଜର ଅକ୍ଷ ବା ମେରୁଦଣ୍ଡ ଚାରିପାଖରେ ଘୂରିବାକୁ  ଆବର୍ତ୍ତନ , ଆହ୍ନିକ ବା ଦୈନିକ ଗତି କୁହାଯାଏ।
(ii) ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପୃଥିବୀ ପ୍ରାୟ ୨୪ ଘଣ୍ଟା (ବାସ୍ତବରେ ୨୩ ଘଣ୍ଟା ୫୬ ମିନିଟ୍ ୪ ସେକେଣ୍ଡ ) ସମୟ ନିଏ । ଏହା ଫଳରେ ଦିନରାତି ହୁଏ ।

ପରିକ୍ରମଣ - 

(i) ପୃଥିବୀ ନିଜ ଅକ୍ଷଦଣ୍ଡ ଚତୁଃପାର୍ଶ୍ଵରେ ଆବର୍ତ୍ତନ କରିବା  ସଙ୍ଗେ ସଙ୍ଗେ ଏକ ନିର୍ଦ୍ଦିଷ୍ଟ ଉପବୃତ୍ତାକାର ପଥରେ ସୂର୍ଯ୍ୟକୁ  ପ୍ରଦକ୍ଷିଣ କରିଥାଏ । ପୃଥିବୀର ଏହି ଗତିକୁ ପରିକ୍ରମଣ ବା ବାର୍ଷିକ ଗତି କୁହାଯାଏ । 
 (ii) ଥରେ ପୂର୍ଣ୍ଣ ପରିକ୍ରମଣ କରିବାକୁ ପୃଥିବୀକୁ ପ୍ରାୟ ୩୬୫  ଦିନ ବା ଏକବର୍ଷ ସମୟ ଲାଗେ । ଏହାଫଳରେ ଋତୁ ପରିବର୍ତ୍ତନ ହୁଏ ଏବଂ ପୃଥିବୀରେ ବର୍ଷ ସଂଘଟିତ ହୁଏ।

 (ଖ) ଗ୍ରୀଷ୍ମ ଅୟନାନ୍ତ ଦିବସ ଓ ଶୀତ ଅୟନାନ୍ତ ଦିବସ : 

: ଗ୍ରୀଷ୍ମ ଅୟନାନ୍ତ ଦିବସ 

 (i) ଜୁନ୍ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳି ରହିଥାଏ । 
 (ii) ଏହି ଦିନ ୨୩  ଉତ୍ତର ଅକ୍ଷାଂଶ ( କର୍କଟ କ୍ରାନ୍ତି), ଉପରେ ସୂର୍ଯ୍ୟ କିରଣ ଲମ୍ବ ଭାବରେ ପଡ଼ିଥାଏ । ଏହି ଦିବସକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କହନ୍ତି । 
(iii) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ ।

ଶୀତ ଅୟନାନ୍ତ ଦିବସ 

 (i) ଡିସେମ୍ବର ୨୨ ତାରିଖ ବେଳକୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳି ରହିଥାଏ । 
(ii) ଏହି ଦିନ ୨୩° ଦକ୍ଷିଣ ଅକ୍ଷାଂଶ ( ମକରକ୍ରାନ୍ତି) ଉପରେ ସୂର୍ଯ୍ୟକିରଣ ଲମ୍ବ ଭାବରେ ପଡ଼ିଥାଏ । ଏହି ଦିବସଟିକୁ ଶୀତ ଅୟନାନ୍ତ ଦିବସ କହନ୍ତି । 
 (iii) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ ।

୫ । ଯଦି ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁ ନ ଥାନ୍ତା ତେବେ ଆମେ କି କି ସୁବିଧା ଓ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ? 

ଉ :(i) ଯଦି ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ  କରୁ ନଥାନ୍ତା ତେବେ ପୃଥିବୀରେ ଦିନ ଓ ରାତି ସଂଘଟିତ ହୁଅନ୍ତା ନାହିଁ ।
 (ii) ଫଳସ୍ବରୂପ ପୃଥିବୀର ଗୋଟିଏ ପାର୍ଶ୍ଵରେ ସର୍ବଦା ଦିନ ଓ ଅପର ପାର୍ଶ୍ଵରେ ସର୍ବଦା ରାତି ହୋଇଥାନ୍ତା ।
 (ii) ପୃଥିବୀର ଦିନ ହେଉଥିବା ପାର୍ଶ୍ୱରେ ଅତିଶୟ ତାପମାତ୍ରା ଓ ରାତ୍ରି ହେଉଥିବା ପାର୍ଶ୍ଵ ରେ ଅତିଶୟ ଶୀତଳତା ଯୋଗୁଁ ପୃଥିବୀରେ ଜୀବଜଗତ ବଞ୍ଚିବା ସମ୍ଭବପର ହୁଅନ୍ତା ନାହିଁ।
 (iv) ଏହା ଫଳରେ ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଥା'ନ୍ତା। (v) ଜଳବାୟୁରେ ମଧ୍ୟ ଗୁରୁତର ପରିବର୍ତ୍ତନ ହୋଇଥାନ୍ତା।


Comments

Post a Comment

Popular posts from this blog

4th science

ପୃଥିବୀ ଓ ସୌରଜଗତ

କଳାମାଣିକରେ